୭୫ ବର୍ଷରେ ପାଳୁଛି ଆଜି ଭୁବନେଶ୍ୱର ପ୍ଲାଟିନମ୍‌ ଜୁବ୍‌ଲି |

ରାଜଧାନୀ ଭୁବନେଶ୍ୱର କୁ ପୁରିଲା ୭୫ ବର୍ଷ। ରାଜଧାନୀର ପ୍ଲାଟିନମ୍‌ ଜୁବ୍‌ଲି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ୩ ଦିନିଆ ଉତ୍ସବ ସହ ପ୍ରତିଷ୍ଠା ଦିବସ ପାଇଁ ବେଶ୍‌ ଚଳଚଞ୍ଚଳ ବିଏମ୍‌ସି କାର୍ଯ୍ୟାଳୟ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍‌ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର। ସେତେବେଳେ ୩ଟି ରାଜସ୍ୱ ଗ୍ରାମ ଏବଂ ୧୫ ହଜାର ଲୋକ ସଂଖ୍ୟା ବିଶିଷ୍ଟ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଲଟିଲା ଓଡିଶାର ନୂଆ ରାଜଧାନୀ।

ବୌଦ୍ଧ, ଜୈନ, ଶୈବ ଓ ମହିମା ଭଳି ସମ୍ମିଳିତ କ୍ଷେତ୍ର ଭୁବନେଶ୍ବର । କିଛି ଗାଁ ଓ ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ପ୍ରତିଷ୍ଠା ପରେ ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା ।

ମନ୍ଦିରମାଳିନୀ ସହର ଭୁବନେଶ୍ବର ଓଡିଶାର ରାଜଧାନୀ ପାଲଟିଥିଲା। ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ । ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଛି । ଏକ ସୁନ୍ଦର ସହର ଭାବେ ଗଢିତୋଳିବାକୁ ୧୯୪୬ ମସିହାରେ ଜର୍ମାନର ପ୍ଲାନର, ଅଟୋ କଏନ୍ସ ବର୍ଗର ନକ୍ସା ପ୍ରସ୍ତୁତ କରିଥିଲେ । ଚଣ୍ଡିଗଡ ଓ ଭୁବନେଶ୍ବରର ପାଇଁ ଏକକାଳୀନ ପ୍ରସ୍ତୁତ ହୋଇଥିଲା ନକ୍ସା । ଇତି ମଧ୍ୟରେ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପ୍ରଦାନ ପାଇଁ ଦାବି ଜୋର ଧରିଛି । ସମୟ ସହିତ ତାଳ ଦେଇ ବଢିବାରେ ଲାଗିଛି ଭୁବନେଶ୍ବର । ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର ।

ସେହିପରି ଶିକ୍ଷାରୁ ଚାକିରି, ରୋଜଗାର, ରାଜନୀତି ପୁଣି ରାଜଧାନୀରେ ରହିବାର ନିଶା ଯୋଗୁଁ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ଲୋକଙ୍କୁ ଆକର୍ଷିତ କରି ଟାଣି ଆଣିଲା ଭୁବନେଶ୍ୱର । ବଡ଼ ବଡ଼ କୋଠା ଘର ନିର୍ମାଣ ହେଲା । ପୁଣି ମୁଣ୍ଡ ଟେକି ଠିଆ ହେଲା ବିଶାଳ ଆପାର୍ଟମେଣ୍ଟ । ତା ପାଖକୁ ଛୋଟ ଛୋଟ ବସ୍ତି ସବୁ ଜନ୍ମ ନେଲା । ଧୀରେ ଧୀରେ ଏଇ ଐତିହାସିକ ସହର, ଦେବଭୂମି ତାର କାୟା ବିସ୍ତାର କରି ଗୋଟିଏ ପଟେ କଟକ ଓ ଅନ୍ୟପଟେ ଖୋର୍ଦ୍ଧା ଆଡ଼କୁ ମାଡ଼ି ଚାଲିଲା । ସେହିପରେ ଅପର ପାର୍ଶ୍ୱରେ ଲମ୍ବିଗଲା ବାରଙ୍ଗ ଓ ଜଟଣୀ ଆଡ଼କୁ । ସମସ୍ତେ ଖୋଜିଲେ ଘରଟିଏ କିଣି ରାଜଧାନୀରେ ରହିବା ଲାଗି । ଯାହାର ପରିଣାମ ସ୍ୱରୂପ ମାଷ୍ଟର ପ୍ଲାନ୍‌ରେ ନିର୍ମିତ ଭୁବନେଶ୍ୱରର ଚେହେରା ବଦଳିଗଲା । ଯୋଜନା ସବୁ ଫେଲ୍‌ ମାରିଗଲା ଏହାକୁ ନିର୍ମାଣ ମାନଚିତ୍ରକୁ ସଠିକ୍‌ ରୂପ ଦେବାରେ ।

ଏବେବି ଖୋର୍ଦ୍ଧା ଜିଲ୍ଲା ଅଧୀନରେ ରହିଛି ରାଜଧାନୀ ଭୁବନେଶ୍ୱର । ଏହା ମହାନଗରର ମାନ୍ୟତା ପାଇଛି । ସ୍ମାର୍ଟ ସିଟି ଭାବେ ଖ୍ୟାତି ଲାଭ କରିଛି । ୨୦୧୭ରେ ଏହାକୁ ମିଳିଥିଲା ସବୁଠାରୁ ଯୋଜନାବଦ୍ଧ ସହର ଭାବେ ଅନ୍ତର୍ଜାତୀୟ ପୁରସ୍କାର । ବିଶେଷ କରି ବସ୍ତି ଲୋକଙ୍କୁ ଥଇଥାନ ବାବଦରେ ଏହା ଆଗୁଆ ରହିଛି । ପୁଣି ନିକଟରେ ଏହାକୁ ମିଳିଛି ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ବିଶ୍ୱ କପ୍‌ ବେଳେ ପୁଣି ବଦଳି ଯାଇଛି ଭୁବନେଶ୍ୱରର ଚେହେରା । ଅନେକ ଅସଜଡ଼ା ଜିନିଷ ସବୁ ସଜାଡ଼ି ହୋଇଯାଇଛି ।

ବିଗତ ୭୪ ବର୍ଷ ମଧ୍ୟରେ ଭୁବନେଶ୍ୱର ଅନେକ ବଦଳିଛି। ବିକାଶ ପଥରେ ବହୁତ ଆଗକୁ ଯାଇଥିଲେ ବି ଅନେକ ସମସ୍ୟା ରହିଯାଇଛି। ଯେପରି ଟ୍ରାଫିକ୍‌ ସମସ୍ୟା, ଅପରାଧ, ମାଷ୍ଟର ପ୍ଲାନ୍‌ ପରେ ଗଢ଼ି ଉଠିଥିବା ଅଞ୍ଚଳକୁ ଶୃଙ୍ଖଳିତ କରିବା ବିଶେଷ କରି ଜଳ ନିଷ୍କାସନ ସମସ୍ୟାର ବାକିଆ କାମ । ତେବେ ଏଥିରେ ପ୍ରଶାସନର ଉଦ୍ୟମ ଯେତିକି ଦରକାର ସେତିକି ଆବଶ୍ୟକ ରାଜଧାନୀ ବାସିନ୍ଦାଙ୍କ ସହଯୋଗ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp