ସମାପ୍ତ ହେଲା କର୍ଣ୍ଣାଟକ କ୍ଷମତା କନ୍ଦଳ : ଅଢ଼େଇ ବର୍ଷ ଲେଖାଏଁ ଶାସନ ଗାଦି ସମ୍ଭାଳିବେ ଦୁଇ ନେତା
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ସିଦ୍ଦରମେୟା । ଉପମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର । କ୍ୟାବିନେଟ୍ ଗଠନ ନେଇ ମଧ୍ୟ ଆଲୋଚନା ଶେଷ ହୋଇଛି। ବିଧିବଦ୍ଧ ଭାବେ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏହା ଘୋଷଣା କରାଯାଇନଥିଲେ ମଧ୍ୟ ସୂତ୍ରରୁ ଜଣାପଡ଼ିଛି ।
ସୂଚନା ମୁତାବକ ଅଢ଼େଇ ବର୍ଷ ଲେଖାଏଁ ପାଳି ବଦଳରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ହେବେ ଦୁଇ ନେତା। ଉଭୟଙ୍କ ପାଇଁ ଦଳ ଏହି ସର୍ତ୍ତ ରଖିଛି। ପ୍ରଥମେ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଦରମେୟା। ଉମୁମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର। ପରବର୍ତ୍ତୀ ଅଢ଼େଇ ବର୍ଷ ଶିବ କୁମାର ହେବେ ମୁଖ୍ୟମନ୍ତ୍ରୀ। ଫଳାଫଳ ଗତ ୧୩ ତାରିଖରୁ ଘୋଷଣା ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଣ୍ଡୁ ନଥିଲା। ଦିଲ୍ଲୀରେ ମାରାଥନ ବୈଠକ ଚାଲିଥିଲା। ଡିକେଏସ ଓ ସିଦ୍ଦରମେୟାଙ୍କୁ ପୃଥକ ପୃଥକ ଭେଟିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଓ ରାହୁଲ ଗାନ୍ଧି।
ଗତକାଲି ୨ଟି ପର୍ଯ୍ୟାୟରେ ଡିକେଏସଙ୍କ ସହ ଆଲୋଚନା ହୋଇଥିଲା। ଶେଷରେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାକୁ ଡିକେଏସ ରାଜି ହୋଇଥିବା ସୂଚନା ମିଳିଛି।। ଆସନ୍ତା ୨୦ରେ ଶପଥ ଗ୍ରହଣ ଉତ୍ସବ। ତେବେ ଆଜି ସଂଧ୍ୟା ୭ଟାରେ ବେଙ୍ଗାଲୁରୁରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏହି ବୈଠକରେ ବିଧାୟକ ଦଳ ନେତା ଭାବେ ସିଦ୍ଦରମେୟାଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ। ୧୩୫ ସିଟ୍ରେ ବିଜୟ ସହ କର୍ଣ୍ଣାଟକରେ ବଡ଼ ବିଜୟ ହାସଲ କରିଛି କଂଗ୍ରେସ।