ଶରୀର ପାଇଁ ସଂଜୀବନୀ ସାଜିଛି ତରଭୁଜ ମଞ୍ଜି

କିଛି ଫଳ ଏପରି ହୋଇଥାଏ ଯାହା କେବଳ ନିର୍ଦ୍ଧିଷ୍ଟ ଋତୁରେ ହିଁ ମିଳିଥାଏ। ତାହା ମଧ୍ୟରେ ଏକ ହେଉଛି ତରଭୁଜ। ସାଧାରଣତଃ ଖରା ଦିନରେ ସୁଆଦିଆ ଫଳ ତରଭୁଜ ବଜାରରେ ମିଳିଥାଏ। ଏମିତିରେ ଗରମ ଦିନରେ ତରଭୁଜ ଖାଇବାକୁ କାହାକୁ ବା ଭଲ ନ ଲାଗେ। ଏଥିରେ ରହିଥିବା ପୋଷକ ଏବଂ ପାଣି ଭୋକ ଆଉ ଶୋଷ ଉଭୟକୁ ମେଣ୍ଟାଇଥାଏ। ଏଥିରେ ୯୬ ପ୍ରତିଶତ ପାଣି ରହିଥାଏ। ଯାହା ଶରୀରକୁ ଥଣ୍ଡା ରଖିଥାଏ। ଶରୀରକୁ ତାତିରୁ ରକ୍ଷା କରିବା ପାଇଁ ଏହାକୁ ଖାଇବା ଦରକାର। କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଖଣିଜ ଲବଣ, ଫସଫରସ୍ ଏବଂ କ୍ୟାଲସିୟମରେ ଭରପୂର ରହିଥାଏ।

ତରଭୁଜରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ବି, ସି ସହ ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ପଟାସିୟମ୍ ରହିଥାଏ। ଏହା ପାଟିକୁ ସୁଆଦ ଲାଗିବା ସହ ଖରା ପ୍ରକୋପରୁ ମଧ୍ୟ ଆସ୍ବସ୍ତି ଦେଇଥାଏ ।ଏହାର ସେବନ ଅନେକ ରୋଗରୁ ରକ୍ଷା କରିଥାଏ ଯାହା ବିଷୟରେ ଆମେ କହିବାକୁ ଯାଉଛୁ। ତେବେ ସାଧାରଣତଃ ତରଭୁଜ ଖାଇ ସାରିବା ପରେ ଲୋକେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି? ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଆପଣ ଫିଙ୍ଗି ଦେଉଛନ୍ତି ତାହା କେତେ ଉପକାରୀ? ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ ଯାହା ତରଭୁଜ ମଞ୍ଜିରେ ଭରପୂର ମାତ୍ରାରେ ରହିଥାଏ।

ତରଭୁଜ ମଞ୍ଜି ହେଉଛି ମୋନୋ ଅନସ୍ୟାଚୁରେଟେଡ଼ ଓ ପଲି ଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ର ଏକ ଭଲ ଅପ୍ସନ । ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇଂଫ୍ଲେମେଟୋରୀ ଏଜେଣ୍ଟ ରୂପେ କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମର ମାତ୍ରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତରଭୁଜ ମଞ୍ଜିରେ ମାଇକ୍ରୋ ନିଉଟ୍ରିଏଣ୍ଟ୍ସ‌, ଆଇରନ , ଜିଙ୍କ, ପ୍ରୋଟିନ୍ ଓ ଫାଇବର ଭରପୂର ମାତ୍ରାରେ ରହିଥାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ। ତରଭୁଜ ମଞ୍ଜିରେ କମ୍ କ୍ୟାଲୋରୀ ଥିବା ହେତୁ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ।

ତରଭୁଜ ମଞ୍ଜିରେ ୦.୨୯ ଗ୍ରାମ୍ ଆଇରନ୍ ଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଗର୍ଭବତୀ ମହିଳାଙ୍କ ପାଇଁ ତରଭୁଜ ମଞ୍ଜି ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଖାଇବା ଦ୍ବାରା ଗର୍ଭାବସ୍ଥାର ବିଭିନ୍ନ ସମସ୍ୟାକୁ ଦୂରେଇ ହେବା ସହ ଉଭୟ ମାଆ ଓ ଛୁଆକୁ ସୁସ୍ଥ ରହିଥାଆନ୍ତି। ଏଥିରେ ଥିବା ଜିଙ୍କ ପୁରୁଷମାନଙ୍କଠାରେ ଶୁକ୍ରାଣୁ ସଂଖ୍ୟା ବଢାଇ ଥାଏ। ଏହାଛଡା ପ୍ରଜନନ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ ।

ଚର୍ମକୁ ସୁସ୍ଥ ରଖେ:

ତରଭୁଜ ମଞ୍ଜି ଚର୍ମକୁ ସଫା କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ଏଥିରୁ ବାହାରୁ ଥିବା ତେଲ ବିଭିନ୍ନ ସୌନ୍ଦର୍ଯ୍ୟ ଦ୍ରବ୍ୟ ତିଆରି କରିବାରେ ବ୍ୟବହୃତ ହୁଏ। ମୁହଁରୁ କଳା ଦାଗ ଓ ବ୍ରଣ ଆଦି ହଟାଇବାରେ ଏହା ସାହାଯ୍ୟ କରୁଥିବା ବେଳେ ବୟସ ପୂର୍ବରୁ ବୃଦ୍ଧାବସ୍ଥାକୁ ଏହା ଦୂର କରିଥାଏ। ତରଭୁଜ ମଞ୍ଜିରେ ଥିବା ମ୍ୟାଗ୍ନେସିୟମ ସାମୟିକ ଭାବରେ ଚର୍ମର ରୂପକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଶୁଷ୍କ ଚର୍ମ ପାଇଁ ଆପଣ ଏହାକୁ ବ୍ୟବହାର କରି ପାରିବେ। ତରଭୁଜ ମଞ୍ଜି ଆପଣଙ୍କ ପାଇଁ ଏକ ମଏଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ।

କେଶକୁ ମଜବୁତ କରେ:

କେଶକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ଆପଣ ତରଭୁଜ ମଞ୍ଜିର ବ୍ୟବହାର କରିପାରିବେ। ତରଭୁଜ ମଞ୍ଜି ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଓ କପରରେ ପରିପୂର୍ଣ୍ଣ, ଯାହା କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା କେଶକୁ ମଜବୁତ କରିବା ଓ କେଶର ଘନତ୍ୱ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ମାଙ୍ଗାନିଜ କେଶ ଝଡିବା ଓ ନଷ୍ଟ ହେବାରୁ ରକ୍ଷା କରିଥାଏ।

ହୃତପିଣ୍ଡକୁ ସୁସ୍ଥ ରଖେ:

ତରଭୁଜ ମଞ୍ଜି ହୃତପିଣ୍ଡକୁ ଅନେକ ଉପାୟରେ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏଥିରେ ଥିବା ମୋନୋଅନସ୍ୟାଚୁରେଟେଡ଼ ଓ ପଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ ଯାହା କି ହୃଦଘାତ, ଷ୍ଟ୍ରୋକରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହି ମଞ୍ଜିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏଥିରେ ଥିବା ଆଇରନ ଶରୀରରେ ଅମ୍ଲଜାନଯୁକ୍ତ ରକ୍ତ କଣିକା ବହନ କରିଥାଏ। ହୃତପିଣ୍ଡରେ କ୍ୟାଲସିୟମର ଗତିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ରକ୍ତରେ ଶର୍କରା ସ୍ତର କମାଏ :

ଅନିୟନ୍ତ୍ରିତ ବ୍ଲଡ଼ ସୁଗାର ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ତରଭୁଜ ମଞ୍ଜି ଏକ ସଞ୍ଜିବନୀ ପରି କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ ,କାର୍ବୋହାଇଡ୍ରେଟ ର ମେଟାବୋଲିଜିମ୍‌ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହୋଇନଥାଏ। ଏହା ଟାଇପ୍-୨ ମଧୁମେହ ରୋଗୀ ଖାଇ ପାରିବେ ।

ଶ୍ୱାସ ରୋଗ କମାଏ:

ତରଭୁଜ ମଞ୍ଜିରେ ଭିଟାମିନ୍ ସି ଭରପୁର ମାତ୍ରାରେ ରହିଛି। ଏହା ଶ୍ୱାସରୋଗ ବା ଆସ୍ଥମା ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଭିଟାମିନ୍ ସି ଏକ ଶକ୍ତିଶାଳୀ ଡାଏଟାରୀ ଆଣ୍ଟିଅକ୍ସିଡାଣ୍ଟ ଯାହା ଆସ୍ଥମାର ପ୍ରଭାବ ଧିରେ ଧିରେ ଶରୀରରୁ କମାଇ ଥାଏ। ଶ୍ୱାସ ରୋଗକୁ କମାଇବା ପାଇଁ ତରଭୂଜ ମଞ୍ଜିର ବ୍ୟବହାରକୁ ନେଇ ବୈଜ୍ଞାନିକ ମାନେ ଗବେଷଣା ଜାରି ରଖିଛନ୍ତି। ତଥାପି ଏହି ରୋଗ ପାଇଁ ତରଭୂଜ ମଞ୍ଜିର ବ୍ୟବହାର ଏକ ନିରାପଦ ଉପଚାର ବୋଲି ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp