ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଲା ସଞ୍ଜୟ ରାଉତଙ୍କୁ ଏଭଳି ଧମକ ‘ତୁ ଦିଲ୍ଲୀରେ ଦେଖାଦେ, ତତେ ଏକେ ୪୭ରେ ଉଡିଇଦେବି’
ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ ଦେଇଛି ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ଭଳି ହତ୍ୟା କରାଯିବ ବୋଲି ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି। ଏନେଇ ସଞ୍ଜୟ ରାଉତ ପୋଲିସରେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ପୋଲିସ ଏ ମାମଲାରେ ଯାଞ୍ଚ କରୁଛି । ଧମକ ମେସେଜରେ ଗ୍ୟାଙ୍ଗ ପକ୍ଷରୁ କୁହାଯାଇଛି ଯେ “ତୁ ଦିଲ୍ଲୀରେ ଦେଖାଦେ, ତତେ ଏକେ ୪୭ରେ ଉଡ଼ାଇ ଦେବି। ତୋର ବି ମୁସେୱାଲା ଭଳି ଅବସ୍ଥା ହେବ। କେବଳ ସମୟକୁ ଅପେକ୍ଷା କର।”
ଧମକ ସମ୍ପର୍କରେ ପୋଲିସ ଅଭିଯୋଗ ପାଇବା ପରେ ଶୁକ୍ରବାର ରାତିରେ ଜଣେ ସନ୍ଦିଗ୍ଧକୁ କାବୁ କରିବା ପରେ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଉଦ୍ୟମ କରୁଛି ।
ଅନ୍ୟପକ୍ଷରେ ଧମକପୂର୍ଣ୍ଣ ମେସେଜ ପାଇବା ପରେ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ସରକାରକୁ ସଞ୍ଜୟ ରାଉତ ଟାର୍ଗେଟ କରିଛନ୍ତି। ତେବେ ମହାରାଷ୍ଟ୍ରରେ ନୂଆ ସରକାର ଆସିବା ପରେ ଆମ ସୁରକ୍ଷା ହଟାଇ ଦିଆଯାଇଛି । ଆଉ ଏହାପରେ ଧମକ ମିଳୁଛି ବୋଲି ସଞ୍ଜୟ ରାଉତ କହିଛନ୍ତି ।
ଗତବର୍ଷ ଅଗଷ୍ଟ ମାସରେ ଇଡି ତାଙ୍କୁ ପାତ୍ରା ଚାଉଳ ଜମି ଦୁର୍ନୀତି ଘଟଣାରେ ଗିରଫ କରିଥିଲା। ସେ ଦୀର୍ଘଦିନ ପରେ ବେଲରେ ମୁକୁଳିଥିଲେ। ଗତବର୍ଷ ମେ ୨୯ରେ ମୁସେୱାଲାଙ୍କୁ ପଞ୍ଜାବର ମାନସା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ଘଟିବାର ଗୋଟେ ଦିନ ପୂର୍ବରୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା। ତାଙ୍କୁ ଅତି ନିକଟରୁ ଗୁଳି ମରାଯାଇଥିଲା । ଆକ୍ରମଣକାରୀ ୩୦ ରାଉଣ୍ଡ ଗୁଳି ଚଳାଇଥିଲା । ତେବେ ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡୀ ବ୍ରାର ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ।