ରିଙ୍କୁ ସିଂଙ୍କ ଖୋଲିଲା ଭାଗ୍ୟ, BCCI ଓ୍ଵାନଡେ ଟିମ୍ରେ ହେଲେ ସାମିଲ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ଶେଷ ସିଜନରେ ଧମାଲ କରିଥିବା ଯୁବ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କୁ ବିସିସିଆଇ ଏକ ବଡ଼ ପୁରସ୍କାର ଦେଇଛି। କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିଥିବା ଏହି ଦମଦାର ବ୍ୟାଟ୍ସମ୍ୟାନ୍ ରାତାରାତି ଷ୍ଟାର ହୋଇଥିଲେ । ସେ ଆଇପିଏଲ୍ ମ୍ୟାଚ୍ ଇନିଂସର ଶେଷ ଓଭରରେ ଲଗାତାର ୫ ଟି ଛକା ମାରି ଦଳକୁ ଜିତାଇଥିଲେ। ବର୍ତ୍ତମାନ ତାଙ୍କୁ ବିସିସିଆଇ ଦ୍ୱାରା ଓ୍ଵାନଡେ ଟିମ୍ରେ ସାମିଲ କରାଯାଇଛି।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ରିଙ୍କୁଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇ ନାହିଁ। ଏନେଇ ଫ୍ୟାନ୍ସମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ତ୍ତମାନ ରିଙ୍କୁ ସିଂ ଖୁବ୍ ଶୀଘ୍ର ବ୍ୟାଟ୍ ସହିତ ପଡ଼ିଆରେ ଧମାଲ କରୁଥିବା ନଜର ଆସିବେ। ବିସିସିଆଇ ରିଙ୍କୁ ସିଂଙ୍କୁ ଏକ ବଡ ପୁରସ୍କାର ଦେଇଛି। ଘରୋଇ ଓ୍ଵାନଡେ ଟୁର୍ନାମେଣ୍ଟ ଦେଓଧର ଟ୍ରଫି –୨୦୨୩ ପାଇଁ ତାଙ୍କୁ ସେଣ୍ଟ୍ରାଲ ଜୋନ୍ ଟିମ୍ରେ ସ୍ଥାନ ଦିଆଯାଇଛି । ଏହି ଦଳକୁ ଅଧିନାୟକ ଷ୍ଟାର ବ୍ୟାଟ୍ସମ୍ୟାନ୍ ଭେଙ୍କଟେଶ ଅୟର୍ ପରିଚାଳନା କରିବେ। ଭେଙ୍କଟେଶ ମଧ୍ୟ KKR କୁ ପ୍ରତିନିଧିତ୍ୱ କରନ୍ତି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ରିଙ୍କୁ ଟିମ୍ ରେ ନଥିଲେ ମଧ୍ୟ ଖୁବ୍ ଶୀଘ୍ର ସେ ଅନ୍ତର୍ଜାତୀୟ ଡେବ୍ୟୁ କରିବେ ବୋଲି ଆଶା ରହିଛି । ୧୮ ଅଗଷ୍ଟରୁ ଆୟର୍ଲାଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଟି –୨୦ ସିରିଜ୍ ପାଇଁ ରିଙ୍କୁ ସିଂ ଙ୍କୁ ସୁଯୋଗ ମିଳିପାରେ । ତେବେ ଦେଓଧର ଟ୍ରଫି ଟୁର୍ନାମେଣ୍ଟର ପ୍ରଦର୍ଶନ ଉପରେ ଏହା ନିର୍ଭର କରିବ ରିଙ୍କୁଙ୍କୁ ଟି-୨୦ ସିରିଜ ପାଇଁ ସୁଯୋଗ ମିଳିବ କି ନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିବା ରିଙ୍କୁ ସିଂଙ୍କ ବ୍ୟତୀତ ଶିବମ ମାଭି, ମୋହସିନ୍ ଖାନ୍ ଏବଂ ଆକାଶ ମାଧୱାଲ ମଧ୍ୟ ସୁଯୋଗ ମିଳିଛି ।