ବ୍ରିଟେନ୍ ସରକାରର ମୁଣ୍ଡବିନ୍ଧା ସାଜିଛି ଷ୍ଟାଫ୍ ନର୍ସଙ୍କ ବିକ୍ଷୋଭ ଓ ଧାରଣା

ବ୍ରିଟେନ୍‌ର ସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ସମ୍ପୂର୍ଣ୍ଣଭାବେ ଅଚଳ ହୋଇପଡିଛି। ଗୋଟିଏ ପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ହସ୍ପିଟାଲ୍‌ରେ ରୋଗୀଙ୍କ ଅସମ୍ଭାଳ ଭିଡ ଲାଗିଛି। ପ୍ରାୟ ୯ଠ% ହସ୍ପିଟାଲ୍‌ରେ ରୋଗୀ ବିନା ବେଡ୍‌ରେ ଚଟାଣରେ ଶୋଇ ରହିଥିବା ଦେଖିବାକୁ ମିଳିଛି।

ବ୍ରିଟେନ୍ ଭଳି ବିକଶିତ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ଯେ ଏ ପ୍ରକାର ବିପର୍ଯ୍ୟସ୍ତ ହୋଇପାରେ, ତାହା ସହଜରେ ବିଶ୍ୱାସ କରାଯାଇପାରେନା। କିନ୍ତୁ ବାସ୍ତବିକତା ସେହି ଦିଗକୁ ହିଁ ବାରମ୍ବାର ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗତ ସପ୍ତାହକ ତଳେ ବ୍ରିଟେନ୍‌ର ସ୍ୱାସ୍ଥ୍ୟ ସେବା ପ୍ରକ୍ରିୟା ସମ୍ପୂର୍ଣ୍ଣଭାବେ ଅଚଳ ହୋଇପଡିଥିଲା। ଗୋଟିଏ ପଟେ ସ୍ୱାସ୍ଥ୍ୟ କର୍ମୀଙ୍କ ଧାରଣା, ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପକ୍ଷେ ହସ୍ପିଟାଲ୍‌ରେ ରୋଗୀଙ୍କ ଅସମ୍ଭାଳ ଭିଡ ଲାଗିଥିଲା।

ଏତଦ୍‌ବ୍ୟତୀତ ଏମର୍‌ଜେନ୍ସୀ ୱାର୍ଡରେ ଭର୍ତ୍ତି ହେଉଥିବା ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ମିଳୁ ନ ଥିବାରୁ ଶହ ଶହ ସଂଖ୍ୟାରେ ରୋଗୀ ପ୍ରାଣ ହରାଉଥିଲେ। ଏହି ସମୟ ସୁଦ୍ଧା ବ୍ରିଟେନ୍‌ର ପ୍ରାୟ ୯ଠ% ହସ୍ପିଟାଲରେ ରୋଗୀ ବିନା ବେଡ୍‌ରେ ଚଟାଣରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା। ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିବାଦ ତଥା ଧାରଣା କାରଣରୁ ଡାକ୍ତରମାନେ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ।

ସ୍ଥିତି ଏପରି ହୋଇଯାଇଥିଲା ଯେ, ସମ୍ପର୍କୀୟଙ୍କ ଆଖି ସାମ୍ନାରେ ରୋଗୀ ବିକଳ ଚିତ୍କାର ସହ ପ୍ରାଣ ହରାଉଥିଲେ ମଧ୍ୟ ସମସ୍ତେ ନିରୁପାୟ ହୋଇ ଦେଖିବା ଛଡ଼ା କିଛି କରିପାରୁ ନଥିଲେ। ତେବେ ବର୍ତ୍ତମାନ ସମୟରେ ଷ୍ଟାଫ୍‌ ନର୍ସ ଏବଂ ଆମ୍ବୁଲାନ୍ସ ଡ୍ରାଇଭର ନିଜ ନିଜ ପ୍ରତିବାଦ ତଥା ଧାରଣା ବନ୍ଦ କରି କାମକୁ ଫେରିଥିବା ବେଳେ ଏବେ ଲଣ୍ଡନର ସ୍ୱାସ୍ଥ୍ୟସେବା ସାମାନ୍ୟ ସ୍ୱାଭାବିକ ହୋଇଥିବା କୁହାଯାଉଛି।

ସମସ୍ୟା ଏବେର ନୁହେଁ:

ବ୍ରିଟେନ୍‌ରେ ଏନ୍ଏଚ୍ଏସ୍ (ନ୍ୟାସ୍‌ନାଲ ହେଲ୍‌ଥ୍ ସର୍ଭିସ୍ ବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା) ରେ ସମସ୍ୟା ବହୁ ପୂର୍ବରୁ ହିଁ ରହିଆସିଛି। ଦରମା ବୃଦ୍ଧି ହେଉ କି ସେମାନଙ୍କୁ ଆବଶ୍ୟକୀୟ ସୁବିଧା ନ ମିଳିବାକୁ ନେଇ ହେଉ, ଅଭାବୀ କର୍ମଚାରୀଙ୍କ ଯୋଗୁଁ ଅତିରିକ୍ତ କାମର ଚାପ ବୋଝ ହେଉ କିମ୍ବା ଉପରିସ୍ଥ ଅଧିକାରୀଙ୍କ ଆକ୍ରୋଶର ଶିକାର ହେଉ। ଏସବୁକୁ ନେଇ ସମୟେ ସମୟେ ଷ୍ଟାଫ୍ ନର୍ସ, ଆମ୍ବୁଲାନ୍ସ ଡ୍ରାଇଭର୍‌ଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ କରିଆସୁଛନ୍ତି।

କୋଭିଡ୍-୧୯ (କରୋନା) ସଂକ୍ରମଣ, ଲକ୍‌ଡାଉନ୍, ରୁଷ୍-ୟୁକ୍ରେନ୍ ଯୁଦ୍ଧ, ବ୍ରେଗ୍‌ଜିଟ୍ ଭଳି ଘଟଣାକୁ ନେଇ ବ୍ରିଟେନ୍‌ରେ ଅର୍ଥନୈତିକ ସ୍ଥିତି ଅତ୍ୟଧିକ ଖରାପ ହୋଇପଡିଛି। ଏହି କାରଣରୁ ପାରା ମେଡିକାଲ୍‌ ଷ୍ଟାଫ୍‌ଙ୍କୁ ବର୍ଦ୍ଧିତ ଦରମା ଦେବାକୁ ବ୍ରିଟେନ୍ ସରକାର ପଛଘୁଞ୍ଚା ଦେଉଛନ୍ତି।

କେବଳ ସେତିକି ନୁହେଁ, ବ୍ରିଟେନ୍ ସରକାର ଖର୍ଚ୍ଚକାଟ କରିବା ଉଦ୍ଦେଶ୍ୟରେ ନୂଆ ନିଯୁକ୍ତି ଦେବାକୁ ମଧ୍ୟ ଚାହୁଁ ନାହାନ୍ତି। ଅନ୍ୟପକ୍ଷେ ସରକାରଙ୍କ ଏପ୍ରକାର ଆଭିମୁଖ୍ୟ କାରଣରୁ କର୍ତ୍ତବ୍ୟରତ ପାରା ମେଡିକାଲ୍‌ କର୍ମଚାରୀଙ୍କ ଉପରେ ଅଯଥା କାମବୋଝ ବଢ଼ି ବଢ଼ି ଚାଲିଛି। ଯାହାର ପରିଣାମସ୍ୱରୂପ ଦେଶର ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହେଉଛି।

ଷ୍ଟାଫ୍ ନର୍ସଙ୍କ ଧାରଣା କ’ଣ ପାଇଁ:

ଏନ୍ଏଚ୍ଏସ୍‌ର ଜଣେ ବରିଷ୍ଠ ଷ୍ଟାଫ୍ ନର୍ସ ଓର୍‌ଲା ଡୋଲେ କହିଛନ୍ତି, ସେମାନଙ୍କ ଧାରଣା ପ୍ରତିବାଦ କେବଳ ସେମାନଙ୍କ ଦରମାକୁ ନେଇ ନୁହେଁ ବରଂ ସେମାନେ ଦେଶର ସବୁବର୍ଗର ରୋଗୀଙ୍କ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଚାହୁଁଛନ୍ତି। ଦେଶର ଏକାଧିକ ମେଡିକାଲ୍‌ ଷ୍ଟାଫ୍ ନର୍ସଙ୍କ ଅଭାବ ରହିଛି।

ଏହାର କାରଣ ସରକାର ସବୁ କ୍ଷେତ୍ରରେ କର୍ମଚାରୀଙ୍କ ଆୟ ବୃଦ୍ଧି ଦିଗରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଷ୍ଟାଫ୍‌ ନର୍ସ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ବୃଦ୍ଧିକରିବା ବଦଳରେ ଏଥିରେ ହ୍ରାସ କରାଯାଉଛି। ଏହି କାରଣରୁ ଅନେକ ଯୋଗ୍ୟ ଷ୍ଟାଫ୍ ନର୍ସ ତଥା ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ (ପାରା ମେଡିକାଲ୍ କର୍ମଚାରୀ) ବାଧ୍ୟହୋଇ ଚାକିରୀରୁ ଇସ୍ତଫା ଦେଉଛନ୍ତି।

ଅନ୍ୟପକ୍ଷେ ସରକାର ମଧ୍ୟ ନୂଆ ନିଯୁକ୍ତି ଦିଗରେ ତତ୍ପରତା ପ୍ରକାଶ କରୁନାହାନ୍ତି। ଫଳରେ ଯେଉଁ କିଛି ଷ୍ଟାଫ୍ ନର୍ସ ତଥା ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଏବେ କାମ କରୁଛନ୍ତି ସେମାନଙ୍କ ଉପରେ ଅକଥନୀୟ ଚାପ ବଢ଼ୁଛି। ଏହି କାରଣରୁ ସେମାନେ ସମୟେ ସମୟେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହେଉଛନ୍ତି।

ଷ୍ଟାଫ୍ ନର୍ସଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ:

ପୂର୍ବ ଦଶକରେ ବି୍ରଟେନ୍ରେ ଷ୍ଟାଫ୍ ନର୍ସଙ୍କ ଆୟରେ ୬% ପର୍ଯ୍ୟନ୍ତ କାଣ୍ଟ୍ଛାଣ୍ଟ୍ ହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସମୟରେ ଅନ୍ୟ ପାରା ମେଡିକାଲ୍‌ ଷ୍ଟାଫ୍‌ଙ୍କ ଆୟରେ ୩% ପର୍ଯ୍ୟନ୍ତ ବୃଦ୍ଧି ଆସିଥିଲା। କେବଳ ଏହି କାରଣରୁ ସେ ସମୟରେ ବ୍ରିଟେନ୍‌ରେ ବହୁ ସଂଖ୍ୟକ ଷ୍ଟାଫ୍ ନର୍ସମାନେ ଚାକିରି ଛାଡିବାକୁ ବାଧ୍ୟ ହୋଇଥିଲେ।

ରିପୋର୍ଟ ଅନୁସାରେ ସେହି ସମୟରେ ପ୍ରାୟ ୩୮ହଜାର ନର୍ସ ଚାକିରିରୁ ଇସ୍ତଫା ଦେଇଥିଲେ। ଏହା ବ୍ରିଟେନ୍‌ରେ ଷ୍ଟାଫ୍ ନର୍ସଭାବେ ନିଯୁକ୍ତି ପାଇଥିବା ମୋଟ୍ ଷ୍ଟାଫ୍ ନର୍ସ ସଂଖ୍ୟାର ପ୍ରାୟ ୪୨% ।

ଏନ୍ଏଚ୍ଏସ୍ ଗତ ୪ଠ ବର୍ଷ ମଧ୍ୟରେ ବ୍ରିଟେନ୍‌ରେ ଷ୍ଟାଫ୍ ନର୍ସଙ୍କ ଟ୍ରେନିଂ ବାବଦ ଖର୍ଚ୍ଚକୁ ଯଥେଷ୍ଟ କମ୍ କରିଦେଇଛି। ଏହି କାରଣରୁ ଫିଲିପାଇନ୍ସ ଏବଂ ଭାରତ ଭଳି ଅନେକ ଦେଶରୁ ଷ୍ଟାଫ୍ ନର୍ସମାନେ ନିଯୁକ୍ତି ପାଇବା ଲକ୍ଷ୍ୟରେ ବ୍ରିଟେନ୍ ଚାଲିଆସୁଛନ୍ତି। ୟୁରୋପରୁ ମଧ୍ୟ ଏଠାକୁ ସଂଖ୍ୟାଧିକ ଷ୍ଟାଫ୍ ନର୍ସମାନେ ଆସୁଥିଲେ। କିନ୍ତୁ ବ୍ରେଗ୍‌ଜିଟ୍ ବିବାଦର ସୂତ୍ରପାତ ହେବା ପରେ ସେମାନେ ଭୟରେ ପୁନର୍ବାର ନିଜ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହୋଇଥିଲେ।

ବ୍ରିଟେନ୍ ପାଇଁ ଆଗକୁ ବେଶ୍ ଖରାପ୍ ସ୍ଥିତି:

ଏସବୁ ମଧ୍ୟରେ ବ୍ରିଟେନ୍ ପାଇଁ ଆଗକୁ ଆହୁରି ଭୟାବହ ପରିସ୍ଥିତି ଉତ୍ପନ୍ନ ହେବାକୁ ଯାଉଛି। କାରଣ ବାହାର ଦେଶରୁ ଏଠାକୁ ଆସୁଥିବା ଷ୍ଟାଫ୍ ନର୍ସମାନେ ଏବେ ଭଲ ଦରମା ଲୋଭରେ ଆମେରିକା, ଫ୍ରାନ୍ସ ଭଳି ଦେଶକୁ ଚାଲିଯାଉଛନ୍ତି।

ଏହାର ପ୍ରଭାବ ବ୍ରିଟେନ୍‌ର ସ୍ଥାୟୀ ନାଗରିକତା ଥିବା ଷ୍ଟାର୍ଫ ନର୍ସଙ୍କ ଉପରେ ମଧ୍ୟ ପଡିବା ଆରମ୍ଭ ହୋଇଯାଇଛି। ସେମାନେ ମଧ୍ୟ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯିବାକୁ ଚିନ୍ତାକରିବା ଆରମ୍ଭ କରିଛନ୍ତି। ଏପରି ହେଲେ ବ୍ରିଟେନ୍‌ରେ ସ୍ୱାସ୍ଥ୍ୟସେବା ଆହୁରି ଭୟାନକ ରୂପ ଧାରଣ କରିବ। ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଦେବା ପାଇଁ ମଧ୍ୟ ହସ୍ପିଟାଲ୍‌ରେ ଷ୍ଟାଫ୍ ନର୍ସ ରହିବେନି। ସେତେବେଳେ ବ୍ରିଟେନ୍ ସରକାର ଚାହିଁଲେ ବି କିଛି କରିପାରିବେନି।

ସୁତରାଂ ବେଳ ହୁଁ ସାବଧାନ ନୀତିରେ ବ୍ରିଟେନ୍ ସରକାର ଏ ଦିଗରେ ଚିନ୍ତା କରିବା ସହ ଷ୍ଟାଫ୍ ନର୍ସ ତଥା ଅନ୍ୟ ପାରା ମେଡିକାଲ୍‌ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ଭଳି ଯୋଜନାକୁ ଅବିଳମ୍ବେ ଲାଗୁ କରିବା ଉଚିତ ହେବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଇମେଲ୍: panda.santoshkumar7@gmail.com



source

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp