ବାତ୍ୟା ମୋକାର ତାଣ୍ଡବ ରେ ଛାରଖାର ହେଲା ମିଆଁମାର।
ମୋକାରେ ଯାଇଛି ଶହଶହ ଜୀବନ। ଲକ୍ଷାଧିକଙ୍କୁ ବିସ୍ଥାପିତ କରି ଦେଇଛି। କିଏ ସମୁଦ୍ର ଜୁଆରରେ ଭାସିଯାଇଛି ତ ଆଉ କାହାର ଘର ଭାସି ଯାଇଛି। ସିଟ୍ୱେ ସହରର ସଂପୂର୍ଣ୍ଣ ଧ୍ୱଂସ ହୋଇଛି। ନଷ୍ଟ ହୋଇଛି ୯୦ ପ୍ରତିଶତ ଅଞ୍ଚଳ। ଭୂତର ସହର ପାଲଟି ଯାଇଛି ସିଟ୍ୱେ। ମିଆଁମାର ପଶ୍ଚିମରେ ରହିଛି ରାଖିନ ପ୍ରଦେଶର ସିଟ୍ୱେ ସହର। ବାସସ୍ଥାନ ଉଜୁଡି ଯାଇଛି। ଖାଇବାକୁ ନାହିଁ। ଟେଲି ଟାୱାର ଓ ଗଛ ସବୁ ତଳେ ପଡିଛି। ଯେଉଁ ଗଛ ଠିଆ ହୋଇଛି, ସବୁ ଥୁଣ୍ଟା ପାଲଟି ଯାଇଛି। ପ୍ରାୟ ଘରର ଛାତ ଉଡାଇ ନେଇଛି ମୋକା ପବନ।
ଅନ୍ଧାର ଭବିଷ୍ୟତ ନେଇ ବଂଚୁଥିବା ରୋହିଙ୍ଗ୍ୟାଙ୍କ ଜୀବନ ଘୋର ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ରାଖିନ ରାଜ୍ୟର ରାଜଧାନୀ ସିଟ୍ୱେରେ ଶରଣାର୍ଥୀ ଶିବିରରେ ରହୁଥିଲେ ଶହଶହ ରୋହିଙ୍ଗ୍ୟା ଶରଣାର୍ଥୀ। ସେ ଶିବିର ସଂପୂର୍ଣ୍ଣ ଧ୍ୱଂସ ହୋଇଛି। ୧୦ରୁ ୧୨ ଫୁଟ୍ର ଜୁଆରରେ ସବୁ ଭାସି ଯାଇଛି। ବର୍ତ୍ତମାନ ମିଆଁମାର ମୋକା ମୃତ୍ୟୁ ସଂଖ୍ୟା ୧୦୦ରୁ କମ୍ ଥିବା ସୂଚନା ରହିଛି। କିନ୍ତୁ ବାସ୍ତବରେ ଶହଶହ ସଂଖ୍ୟାରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କୁହାଯାଉଛି କେବଳ ସିଟ୍ୱେରେ ସମୁଦ୍ର ଜୁଆରରେ ୪୫୦ ଜଣ ଭାସି ଯାଇଛନ୍ତି କିମ୍ବା ମୃତ୍ୟୁ ମୁଖରେ ପଡିଛନ୍ତି।