ପୁଣି କୁଆଖାଇ ନେଲା ୪ ଜଣ ସାଙ୍ଗଙ୍କ ଜୀବନ
ଏବେ death zone ପାଲଟିଛି କୁଆଖାଇ ନଦୀ , ଗୋଟିଏ ପରେ ଗୋଟିଏ ଜୀବନ ନେଉଛି ଏହି ନଦୀ | ଏଠାକୁ ଯିଏ ଗଧେଇବାକୁ ଯାଉଛି ଆଉ ଘରକୁ ଫେରୀ ଆସୁନି | କିଛିଦିନ ମଧ୍ୟରେ କୁଆଖାଇ ନେଲଣି 6 ଜୀବନ | ଆଉ ଏବେ ୪ ଜଣ ସାଙ୍ଗଙ୍କ ଜୀବନ ନେଇଛି କୁଆଖାଇ ନଦୀ | ଗତ ମେ’ ୨୭ ତାରିଖ ଅପରାହ୍ଣରେ କୁଆଖାଇ ନଦୀରେ ବୁଡ଼ି ୨ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ସେଦିନର ସେହି ହୃଦୟବିଦାରକ ଘଟଣା ସ୍ଥାନୀୟ ଲୋକଙ୍କ ମନରୁ ନ ଲିଭୁଣୁ, ଗତକାଲି ଅପରାହ୍ଣରେ ପୁଣି ୪ ଜଣ ଛାତ୍ର ଏହି ନଦୀରେ ବୁଡ଼ିଯାଇଛନ୍ତି। ବାଲିଅନ୍ତା ଥାନା ନିକଟ ବଇଁଚୁଆ ଧବଳାହାର ନିକଟରେ ଘଟିଛି ଏଭଳି ଅଘଟଣ । ୨ ଛାତ୍ରଙ୍କ ମୃତଦେହ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳାବାହିନୀ ଉଦ୍ଧାର କରିଛି | ଗତକାଲି ଝାଡ଼ଖଣ୍ଡ ଜାମ୍ସେଦପୁରର ଆରିଆନ୍ ମିଶ୍ର(୨୫) ଓ କଟକର କୁମାର ଅବିନାଶଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩)ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ, ଅଟଳାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ୯ ଜଣ ଛାତ୍ର ଧବଳାହାର ନିକଟସ୍ଥ ନଦୀପଠା ଜଙ୍ଗଲ ଭିତରେ ଗତକାଲି ଭୋଜି କରୁଥିଲେ। ଭୋଜି ସରିବା ପରେ ୪ ଛାତ୍ର କଲେଜକୁ ଫେରିଯାଇଥିଲେ ହେଲେ ଅନ୍ୟ ପାଞ୍ଚ ଜଣ କୁଆଖାଇ ନଦୀରେ ଗାଧୋଇବାକୁ ରହିଯାଇଥିଲେ। ସେଠାରେ ନଦୀର ଗଭୀରତା ଅଧିକ ବୋଲି ସେମାନେ ଜାଣିପାରିନଥିଲେ, ତେଣୁ ଅସାବଧାନତାବଶତଃ ସେମାନେ ଆଗପଛ ହୋଇ ଗଭୀର ଜଳକୁ ଚାଲିଯାଇଥିଲେ ଏବଂ ଗଣ୍ଡରେ ପଡ଼ିଯାଇଥିଲେ। ତେବେ ଭଲରେ ପହଁରା ଜାଣିନଥିବାରୁ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲେ ସେମାନେ | ତାଙ୍କୁ ବୁଡ଼ିଯାଉଥିବା ଦେଖି ଜଣେ ଛାତ୍ର ଚିତ୍କାର କରି ଲୋକଙ୍କୁ ଡାକ ପକାଇଥିଲେ। ସେତେବେଳେ ନଦୀରେ ମାଛ ଧରୁଥିବା କିଛି ଲୋକ ଧାଇଁ ଆସି ଖୋଜାଖୋଜି କରିଥିଲେ ଏବଂ ଦୁଇ ଛାତ୍ରଙ୍କୁ ପାଣିରୁ ଟେକି ଆଣିଥିଲେ। ମାତ୍ର ସେତେବେଳକୁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ତେବେ ଆଜି ସକାଳୁ ଦମକଳ ବାହିନୀ ଆଉ ଦୁଇ ଛାତ୍ରଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଥିଲେ |