ପାକିସ୍ତାନରେ ପୁଣି ବୋଝ ବଢିବାରେ ଲାଗିଛି ।
ପାକିସ୍ତାନରେ ଦିନକୁ ଦିନ ବଢିଚାଲିଛି ପୁଣି ସାଧାରଣ ଜନତାଙ୍କ ଉପରେ ବୋଝ ବଢିବାରେ ଲାଗିଛି । ଦେଶରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଦୈନଦିନ ଜୀବନର ପ୍ରତ୍ୟେକ ସାମଗ୍ରୀ ଓ ପେଟ୍ରୋଲ, ଡିଜେଲ ଦର ହୁତୁହୁତୁ ହୋଇ ବଢିବାରେ ଲାଗିଛି । ଦେବାଳିଆ ହୋଇଯାଇଥିବା ପାକିସ୍ତାନର ମିନି ବଜେଟ ଏବେ ଲୋକଙ୍କ ଚିନ୍ତା ବଢାଇ ଦେଇଛି । ପାକିସ୍ତାନ ଦେବାଳିଆ ସ୍ଥିତିରୁ ବାହାରିବା ପାଇଁ ଯେ କୌଣସି ପ୍ରକାରରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଆର୍ଥିକ ସହାୟତା ଚାହୁଁଛି । ଏଥିପାଇଁ ଦେଶରେ ମିନି ବଜେଟ ଲାଗୁ କରାଯାଇଛି । ଏହାରି ଭିତରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ବଢିଛି । ପେଟ୍ରୋଲ ଲିଟର ପିଛା ଦର ୨୭୨ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଲିଟର ପିଛା ୨୮୦ ଟଙ୍କାରେ ପହଞ୍ଚିଛି । ପାକିସ୍ତାନ ଅର୍ଥ ବିଭାଗ ପକ୍ଷରୁ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ନେଇ ବୁଧବାର ଦିନ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପାକିସ୍ତାନରେ ସମସ୍ତ ଜିନିଷର ଦରବୃଦ୍ଧି ହେବାରେ ଲାଗିଛି । ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଲୋକଙ୍କୁ ଦୁଇ ଓଳି ଖାଇବାକୁ ମିଳୁନି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ରହିଛି । ଏପରିକି ସାମାନ୍ୟ ଆଳୁ, ଅଟା କ୍ଷୀରର ମୂଲ୍ୟ ଏତେ ବଢିଯାଇଛି ଯେ, ଗରିବ ଲୋକମାନେ ଅଟା କିଣିବା କଥା ଚିନ୍ତା କରି ପାରୁନାହାଁନ୍ତି । ଆଉ ଶହବାଜ ସରିଫଙ୍କ ସରକାର ଗରିବଙ୍କୁ ସାହାଯ୍ୟ କରିବା ଭଳି କୌଣସି ପଦକ୍ଷେପ ବି ନେଉ ନାହାଁନ୍ତି ।