ନିଖୋଜ ଥିଲେ ଅଭିନେତା ୫ ମାସ ପରେ ମିଳିଲା ତାଙ୍କ କଙ୍କାଳ
‘ଓସ୍କାର୍’ ସମ୍ମାନପ୍ରାପ୍ତ ଚଳଚ୍ଚିତ୍ର ‘ଏ ରୁମ୍ ୱିଥ୍ ଏ ଭିୟୁ’ରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିବା ବ୍ରିଟିସ୍-ଜନ୍ମିତ ଅଭିନେତା ଜୁଲିଆନ୍ ସ୍ୟାଣ୍ଡ୍ସ୍ଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ କାଲିଫର୍ଣ୍ଣିଆ ପୁଲିସ ସୁନିଶ୍ଚିତ କରି କହିଛି।
ସୂଚନାଯୋଗ୍ୟ, ସ୍ଥାନୀୟ ଅଞ୍ଚଳରେ ‘ମାଉଣ୍ଟ୍ ବ୍ୟାଡ୍ଲି’ ବୋଲି ଜଣାଶୁଣା ‘ମାଉଣ୍ଟ୍ ସାନ୍ ଆଣ୍ଟୋନିଓ’ର (ସାନ୍ ଆଣ୍ଟୋନିଓ ପର୍ବତ ଶୃଙ୍ଗ) ୧୦,୦୦୦ ଫୁଟ୍ ଉପରେ ୬୫ ବର୍ଷିୟ ସ୍ୟାଣ୍ଡ୍ସ୍ ଗତ ଜାନୁଆରି ମାସରେ ନିଖୋଜ ହୋଇଯାଇଥିଲେ।
ଗତ ଶନିବାର ସକାଳେ କେତେକ ପର୍ବତାରୋହୀ ସେଠାରେ ଗୋଟାଏ ନରକଙ୍କାଳ ଦେଖି ସରକାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ସରକାରୀ କର୍ତ୍ତୃପକ୍ଷମାନେ ଉକ୍ତ ଦେହାବଶେଷ ବା କଙ୍କାଳକୁ ସ୍ଥାନୀୟ ‘କରୋନର୍’ଙ୍କ କାର୍ୟ୍ୟାଳୟକୁ ନେଇଥିଲେ।
ସେଠାରେ ଶବ ଚିହ୍ନଟ ପ୍ରକ୍ରିୟା କରାଯାଇ ତାହା ନର୍ଥ ହଲିଉଡ୍ର ନିଖୋଜ ଅଭିନେତା ଜୁଲିଆନ୍ ସ୍ୟାଣ୍ଡ୍ସ୍ଙ୍କର ବୋଲି ସୁନିଶ୍ଚିତ କରାଯାଇଥିବା କଥା ‘ସାନ୍ ବର୍ଣ୍ଣାଡିନୋ ସେରିଫ୍’ଙ୍କ କାର୍ୟ୍ୟାଳୟ ଏକ ବିବୃତିରେ କହିଛି। କିନ୍ତୁ, କେମିତି ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ। ଅଧିକ ପରୀକ୍ଷା କରାଯାଇ ଫଳାଫଳ ବାହାରିଲେ ତାହା ଜଣାପଡ଼ିପାରେ।
ଉଲ୍ଲେଖଯୋଗ୍ୟ, ସ୍ୟାଣ୍ଡ୍ସ୍ ଥିଲେ ଅଭିଜ୍ଞ ପର୍ବତାରୋହୀ। ସ୍ୟାଣ୍ଡ୍ସ୍ ଯେଉଁଠାରେ ନିଖୋଜ ହୋଇଯାଇଥିଲେ ତାହା ହେଉଛି ‘ସାନ୍ ଗେବ୍ରିଏଲ୍ ପର୍ବତମାଳା’ର ସର୍ବୋଚ୍ଚ ଶୃଙ୍ଗ ଏବଂ ଲସ୍ ଏଞ୍ଜେଲ୍ସ୍ବାସୀଙ୍କର ପ୍ରିୟ ପର୍ୟ୍ୟଟନସ୍ଥଳୀ।
୫ ଭାଇଭଉଣୀଙ୍କ ମଧ୍ୟରେ ୩ୟ ସନ୍ତାନ ଭାବେ ଇଂଲଣ୍ଡ୍ରେ ଜନ୍ମିତ ଜୁଲିଆନ୍ ହେମ୍ପ୍ସାୟାର୍ସ୍ଥିତ ‘ଲର୍ଡ ୱାଣ୍ଡ୍ସ୍ୱର୍ଥ କଲେଜ୍’ରୁ ପାଠପଢ଼ା ଶେଷ କରି ‘ଅକ୍ସ୍ଫୋର୍ଡ ବ୍ଲୁଜ୍’, ‘ଦି କିଲିଙ୍ଗ୍ ଫିଲଡ୍ସ୍’ ଆଦି ଚଳଚ୍ଚିତ୍ରରେ ଖଳନାୟକ ଚରିତ୍ରରେ ଅଭିନୟ କରିଥିଲେ। ୧୯୮୫ରେ ‘ଏ ରୁମ୍ ୱିଥ୍ ଏ ଭିୟୁ’ର ସଫଳତା ପରେ ସେ କାଲିଫର୍ଣ୍ଣିଆକୁ ଚାଲିଆସିଥିଲେ। ଇ. ଏମ୍. ଫର୍ଷ୍ଟର୍ଙ୍କ ୧୯୦୮ ମସିହାର ଉପନ୍ୟାସ ଉପରେ ଆଧାରିତ ଓ ଇଂଲଣ୍ଡ ଏବଂ ଇଟାଲିରେ ସୁଟିଙ୍ଗ୍ କରାଯାଇଥିବା ‘ଏ ରୁମ୍ ୱିଥ୍ ଏ ଭିୟୁ’ ୮ଟି ‘ଓସ୍କାର୍ ଆୱାର୍ଡ’ ପାଇଁ ମନୋନୀତ ହୋଇଥିଲା। ‘ଏଡ୍ୱାର୍ଡ’ ଅମଳର ଏହି ପ୍ରେମ କାହାଣୀ ଆଧାରିତ ଚଳଚ୍ଚିତ୍ରରେ ସ୍ୟାଣ୍ଡ୍ସ୍ ନାୟିକା ହେଲେନ୍ ବନ୍ହାମ୍ କାର୍ଟର୍ଙ୍କ ବିପକ୍ଷରେ ନାୟିକା ଭୂମିକା ନିର୍ବାହ କରିଥିଲେ।