ଧାର୍ମିକ ସମାରୋହ ବେଳେ ଗଛ ପଡି ଚାଲିଗଲା ୭ ଶ୍ରଦ୍ଧାଳୁଙ୍କ ଜୀବନ
ମହାରାଷ୍ଟ୍ରର ଅକୋଲାରେ ବଡ଼ ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଓ ଝଡ଼ତୋଫାନ ମଧ୍ୟରେ ବାଲାପୁର ତହସିଲସ୍ଥିତ ବାବୁଜୀ ମହାରାଜ ମନ୍ଦିର କ୍ୟାମ୍ପସର ଟିଣଶେଡ୍ ଉପରେ ଏକ ନିମ୍ବ ଗଛ ପଡ଼ିଥିଲା। ଫଳରେ ଟିଣଶେଡ୍ଟି ଭୁଶୁଡ଼ିବାରୁ ପାଖାପାଖି ୪୦ ଜଣ ଲୋକ ଏହା ତଳେ ଚାପି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଅକୋଲା ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି।
ଏପ୍ରିଲ ୯ ସନ୍ଧ୍ୟା ୭ଟା ବେଳେ ମନ୍ଦିର ସମ୍ମୁଖରେ ଏକ ଧାର୍ମିକ ସମାରୋହ ଚାଲିଥିଲା। ଏହି ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁ ମନ୍ଦର ପରିସରସ୍ଥ ଏକ ପୁରୁଣା ନିମ୍ବ ଗଛଟି ଟିଣଶେଡ୍ ଉପରେ ପଡ଼ିଯାଇଥିଲା। ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହା ତଳେ ଆଶ୍ରୟ ନେଇଥିଲେ। ପୋଲିସ ସୂଚନା ଅନୁସାରେ, ପାଖାପାଖି ୩୫ରୁ ୪୦ ଜଣ ଶ୍ରଦ୍ଧାଳୁ ଶେଡ୍ ତଳେ ଚାପି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳୁଛି ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ୍ ଘଟଣାରେ କିଛି ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇ ,ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।