ଦୁଃଖକଷ୍ଟରେ ବିତୁଛି ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଦିନ l
ବିଜୁ ପଟ୍ଟନାୟକ ଛକରେ ଦୁଇଟି ଆନନ୍ଦ ଭବନ । ଗୋଟିଏରେ ଆନନ୍ଦର ଲହରୀ ଅନ୍ୟଟିରେ ବିଷାଦର ଛାୟା , ମାତ୍ର ଗୋଟିଏ ପ୍ରାଚୀରର ଅବରୋଧ । ହେଲେ ନାମ ସମାନ , କିନ୍ତୁ ଦୃଶ୍ୟ ଅଲଗା । ଯାହାକୁ ଦେଖିଲା ପରେ ସ୍ପଷ୍ଟ ଜାଣିହେବ କେମିତି ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକଙ୍କ ପରିବାର । ଦୁର୍ଦ୍ଦିନରେ କଟୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଇଭଉଣୀଙ୍କ ଦିନ । ନବୀନଙ୍କ ବଡ଼ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକଙ୍କ ଖବର ଏବେ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଦୁର୍ଘଟଣା ପରେ ଅଣ୍ଟା ସଳଖେଇ ଚାଲିପାରୁନାହାନ୍ତି ଦିଲ୍ଲୀପ । ଅବିବାହିତ ଥିବାରୁ ବୃଦ୍ଧାବସ୍ଥାରେ ସେ ସମ୍ପୂର୍ଣ୍ଣ ଏକାକୀ ହୋଇପଡ଼ିଛନ୍ତି । ସେପଟେ ଆର୍ଥିକ ଅନଟନ ବି ଶାନ୍ତିରେ ବଞ୍ଚିବାକୁ ଦେଉନି। ଏପଟେ ସାନ ଭାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ , ମାତ୍ର ନବୀନ ତାଙ୍କୁ କେବେ ପଚାରନ୍ତିନି ବୋଲି ସେ କହିଛନ୍ତି । ଦିନ ଥିଲା ଏହି ଆନନ୍ଦ ଭବନ ହସ ଖୁସିରେ ଫାଟି ପଡୁଥିଲା । କାରଣ ସେତେବେଳେ ସମସ୍ତେ ସେଠାରେ ଏକାଠି ରହୁଥିଲେ । ସମୟ ବଦଳିବା ସହ ବଦଳି ଥିଲା ପରିଚୟ ।
ହେଲେ ସେ ଦିନ ଓ ଆଜିର ଦିନ ମଧ୍ୟରେ ଆସିଛି ଆକାଶ ପାତାଳ ତଫାତ । ବର୍ତ୍ତମାନ ନିଜ ଜୀବନକୁ ନେଇ ବଞ୍ଚିବାର ରାହା ଦେଖୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁତୁରା 76 ବର୍ଷୀୟ ଦିଲ୍ଲୀପ ପଟ୍ଟନାୟକ । ରୋଗଗ୍ରସ୍ତ ଓ ଦୁର୍ଦ୍ଦିନରେ ସେ ବିତାଉଛନ୍ତି ନିଜର ଜୀବନ। କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ଦୁର୍ଦ୍ଦଶାରେ କଟୁଛି ତାଙ୍କ ଜୀବନ।କେବଳ ସେ ଜଣେ ନୁହଁନ୍ତି ତାଙ୍କ ସହ ଭଉଣୀ ରେଖା ପଟ୍ଟନାୟକ ମଧ୍ୟ ଏହି ଘରେ ରୋଗାଗ୍ରସ୍ତ ଅବସ୍ଥାରେ ପଡିରହିଛନ୍ତି । ରେଖାଙ୍କ ସନ୍ତାନ ବିଦେଶରେ ରହୁଥିବା ବେଳେ ସେ ବୃଦ୍ଧାବସ୍ଥାରେ ଏକାକୀ ହୋଇପଡିଛନ୍ତି । ସରକାରୀ ସ୍ତର ହେଉ କିମ୍ବା ବେସରକାରୀ ସ୍ତର ଏପର୍ଯ୍ୟନ୍ତ ତାଙ୍କ ଉପରେ କାହାରି ନଜର ପଡ଼ିନାହିଁ । ଦୀର୍ଘ 15 ବର୍ଷ ଧରି ସେ ରୋଗାଗ୍ରସ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରଟିଏ ଫୋନ କରି ବୁଝିନଥିବା କଥା ସେ କହିଛନ୍ତି ।ଗୋଟିଏ ସଡ଼କ ଦୁର୍ଘଟଣାରେ ତାଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ଏ ପର୍ଯ୍ୟନ୍ତ ସେ ରୋଗାକ୍ରାନ୍ତ ଅବସ୍ଥାରେ ପଡିରହିଛନ୍ତି । 1947 ମସିହାରେ ଦିଲ୍ଲୀପ ପଟ୍ଟନାୟକ ଜନ୍ମ ଗ୍ରହଣ କରିଥିବା ବେଳେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ସେ ପାଠ ପଢିଥିଲେ । ଏହା ପରେ ସେ ଏକ ସ୍ପଞ୍ଜ କମ୍ପାନୀରେ ଚାକିରି ମଧ୍ୟ କରୁଥିଲେ । 25 ବର୍ଷ ପୂର୍ବରୁ ସେ ଚାକିରିରୁ ଅବସର ନେଇଥିବା ବେଳେ ଏପର୍ଯ୍ୟନ୍ତ ସେ ଅବିବାହିତ ଅଛନ୍ତି ।ଏସବୁ ଭିତରେ ଆଜି ଉଭୟଙ୍କୁ ଭେଟି ସେମାନଙ୍କ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେଇଛନ୍ତି ସ୍ଥାନୀୟ ବିଧାୟକ ମହମ୍ମଦ ମୋକିମ୍ । ମହମ୍ମଦ ମୋକିମ୍ କହିଛନ୍ତି ମୁଖ୍ୟମନ୍ତ୍ରୀ ସବୁବେଳେ ସାଢେ଼ 4 କୋଟି ଓଡ଼ିଆ ମୋ ପରିବାର କହୁଥିବା ବେଳେ ତାଙ୍କ ନିଜ ସମ୍ପର୍କୀୟ ସମସ୍ୟା ରେ ରହିବା ଦୁର୍ଭାଗ୍ୟଜନକ ।