ତୁର୍କୀରୁ ଭାରତ ଫେରିଲା NDRF ଟିମ୍ |
ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୦ ହଜାର ଟପିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ‘ଅପରେସନ ଦୋସ୍ତ’ ଅଧୀନରେ ତୁର୍କୀ ଏବଂ ସିରିୟାକୁ ସହାୟତାର ହାତ ବଢ଼ାଇଛି। ଭାରତରୁ ତୁର୍କୀ ଯାଇଥିବା ୪୫ ସଦସ୍ୟ ବିଶିଷ୍ଟ ଏନ୍ଡିଆର୍ଏଫ୍ ଟିମ୍ ବହୁ ଲୋକଙ୍କର ଜୀବନ ରକ୍ଷା କରିଛନ୍ତି। ଟିମ୍ରେ ଥିବା ଦୁଇ ସନ୍ଧାନୀ କୁକୁର ମଧ୍ୟ ଉଦ୍ଧାର ଅଭିଯାନରେ ଚମତ୍କାର କାର୍ଯ୍ୟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏନ୍ଡିଆର୍ଏଫ୍ର ସ୍ନିଫର ଡଗ୍ ରାମ୍ବୋ ଓ ହନି ଭୂମିକମ୍ପ ପ୍ରଭାବିତ ନୁର୍ଦଗୀରେ ଭଗ୍ନାବଶେଷରେ ଫସିଥିବା ଜଣେ ୬ ବର୍ଷର ବାଳିକାକୁ ରକ୍ଷା କରିଥିଲେ।
୮ମ ବାଟାଲିୟନ ଏନ୍ଡିଆର୍ଏଫ୍ ଟିମ୍ ଶୁକ୍ରବାର ଗାଜିଆବାଦ ଫେରି ଆସିଛନ୍ତି। ଟିମ୍ ସହିତ ଦୁଇ ସନ୍ଧାନୀ କୁକୁର ରହିଥିଲେ। ଯେତେବେଳେ ଅନ୍ୟ ଦୁଇ ର’ କୁକୁର ଜୁଲି ଓ ରୋମିଓ ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି। ଗାଜିଆବାଦରେ ବ୍ୟାଣ୍ଡ୍, ବାଜା ସହିତ ମାଳା ପିନ୍ଧାଯାଇ ଏନ୍ଡିଆର୍ଏଫ୍ ଟିମ୍କୁ ସ୍ୱାଗତ କରାଯାଇଛି। ଟିମ୍ ପହଞ୍ଚିବା ପରେ ‘ଏନ୍ଡିଆର୍ଏଫ୍ କି ଜୟ’ ଏବଂ ‘ଭାରତ ମାତା କି ଜୟ’ ନାରା ଦିଆଯାଇଥିଲା।