‘ତାରକ ମେହେତା କା ଉଲ୍ଟା ଚଷମା’ର ପ୍ରଯୋଜକଙ୍କ ନାଁରେ ସଙ୍ଗୀନ ଅଭିଯୋଗ।
‘ତାରକ ମେହେତା କା ଉଲ୍ଟା ଚଷମା’ର ପ୍ରଯୋଜକ ଅସିତ୍ ମୋଦି ବିବାଦରେ ଫସିଛନ୍ତି। ସିରିଏଲ ଅଭିନେତ୍ରୀ ଜେନିଫର ମିଷ୍ଟ୍ରି ଏବେ ଅସିତ ମୋଦିଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। ଜେନିଫର ଅସିତ ଏବଂ ତାଙ୍କ ଟିମ୍ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଛନ୍ତି। ଅଭିନେତ୍ରୀ ମୁମ୍ବାଇର ପୋୱଇ ଥାନାରେ ପ୍ରଯୋଜକଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି।ଜେନିଫର ଲିଖିତ ଅଭିଯୋଗ କରିଥିବା ବେଳେ ଏ ପର୍ଯ୍ୟନ୍ତ ଏଫ୍ଆଇଆର୍ ପଞ୍ଜୀକୃତ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି, ଖୁବ୍ଶୀଘ୍ର ଏଥିରେ ସମ୍ପୃକ୍ତ ଲୋକଙ୍କ ବୟାନ ରେକର୍ଡ କରାଯିବ। ଅସିତ ମୋଦିଙ୍କ ବ୍ୟତୀତ ଜେନିଫର ମିଷ୍ଟ୍ରି ସୋହେଲ ରମାନି ଓ ଜତିନ୍ଙ୍କ ବିରୋଧରେ ମଧ୍ୟ ଅସଦାଚରଣ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ଏହି ମାମଲାରେ ଡିସିପି ଜୋନ୍ ୧୦ରେ ଲିଖିତ ଅଭିଯୋଗ କରିଛନ୍ତି।
କହି ରଖୁଛୁ ଯେ ତାରକ ମେହେତା ସିରିଏଲ ଗତ କିଛି ଦିନ ହେବ ବିବାଦ ହେତୁ ଚର୍ଚ୍ଚାରେ ରହିଛି। ଜେନିଫର ଅସିତ ମୋଦିଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି କି, ସେ ତାଙ୍କୁ ଏକୁଟିଆ କୋଠରୀକୁ ଡାକୁଥିଲେ। ଥରେ ତାଙ୍କ ଓଠକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଅଭିନେତ୍ରୀଙ୍କ କହିବା ହେଲା, ଗୋଟିଏ ଦିନ ଛୁଟି ନେବା ପରେ ସେଟ୍ରେ ମଧ୍ୟ ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଥିଲା।
ସେପଟେ ଅସିତ ମୋଦି ଏବଂ ତାଙ୍କ ଟିମ୍ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ସେମାନଙ୍କ କହିବା ହେଲା, ଏହି ମାମଲାରେ ଆଇନଗତ ଉପାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାରକ ମେହେତାର ନିର୍ମାତା ଅଭିନେତ୍ରୀଙ୍କ ଆଚରଣ ଏବଂ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।