କଲବଲ କରୁଛି ତାତି
ରାଜ୍ୟ ରଜରେ କଲବଲ କରୁଛି ତାତି | ପାଖେଇ ଆସୁଥିବା ବେଳେ ମୌସୁମୀ ବାୟୁ ଓଡ଼ିଶା ଆସି ନାହିଁ। ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେଉଥିବା ବେଳେ ପୂରା ରାଜ୍ୟ ଅସହ୍ୟ ତାତିରେ କଲବଲ ହେଉଛି। ଏଭଳି ସ୍ଥିତିରେ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଆହୁରି କଷ୍ଟଦାୟକ। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗାମୀ ତିନି/ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହରୁ ଭୀଷଣ ଗ୍ରୀଷ୍ମପ୍ରବାହି ଲାଗି ରହିବା ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ତାପମାତ୍ରା ସାମାନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି।
ରାଜ୍ୟର ଅନେକ ଅଞ୍ଚଳରେ ଏବେ ସ୍ୱାଭାବିକ ଠାରୁ ଢେର ଅଧିକ ଗ୍ରୀଷ୍ମପ୍ରବାହ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଏହା ପ୍ରମାଣିତ ହେଉଛି। ଏହି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସ୍ଥାନର ତାପମାତ୍ରା ସ୍ୱାଭାବିକ ଠାରୁ ୫.୫ ଡିଗ୍ରୀ ସେଲସିୟସରୁ ୮.୮ ଡିଗ୍ରୀ ସେଲସିୟସ ଅଧିକ ରହିଥିଲା।ଭବାନୀପାଟଣାରେ ଗତ ୨୪ ଘଣ୍ଟାରେ ସ୍ୱାଭାବିକ ଠାରୁ ୫.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୫.୫, ସୁନ୍ଦରଗଡ଼ରେ ୫.୯ ଓ କୋରାପୁଟରେ ୬ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା।