ଓଡ଼ିଶା କ୍ରିକେଟ ଦଳର ନୂଆ କୋଚ୍ ହେଲେ ଦୀନେଶ ମୋଙ୍ଗଆ ।
ଓଡ଼ିଶା କ୍ରିକେଟ ଦଳର ନୂଆ କୋଚ୍ ଭାବେ ନିଯୁକ୍ତ ହେଲେ ଦୀନେଶ ମୋଙ୍ଗଆ । ସେ ଥିଲେ ପୂର୍ବତନ ଅନ୍ତର୍ଜାତୀୟ ପୁରୁଷ ଓ ମହିଳା କ୍ରିକେଟଟିମ ର କୋଚ୍ | ଏବେ ପୁଣି ଏକ ନୂଆ ଦାୟିତ୍ୱ ପାଇଛନ୍ତି ଦୀନେଶ ମଙ୍ଗିଆ | ଦାୟିତ୍ୱ ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ୍ । ସିନିୟର ପୁରୁଷ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ସମ୍ଭାଳିବେ ଦୀନେଶ ମୋଙ୍ଗିଆ । ସେହିପରି ସିନିୟର ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରୁମେଲି ଧରଙ୍କୁ ନିଯୁକ୍ତ ମିଳିଛି । ଏନେଇ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟଙ୍କର କାର୍ଯ୍ୟକାଳ ବର୍ଷେ ଲେଖାଏ ରହିବ । ଦୀନେଶ ମୋଙ୍ଗିଆ ୫୭ଟି ଅନ୍ତର୍ଜାତୀୟ ଦିନିକିଆ ଓ ଗୋଟିଏ ଟି-୨୦ ଖେଳିଛନ୍ତି । ୧୨୧ଟି ପ୍ରଥମ ଶ୍ରେଣୀ ଓ ୧୯୮ଟି ଲିଷ୍ଟ-ଏ ଫର୍ମାଟ ମ୍ୟାଚ ଖେଳିବା ଅଭିଜ୍ଞତା ରହିଛି । ସେହପିରି ରୁମେଲି ଭାରତ ପକ୍ଷରୁ ୪ଟି ଟେଷ୍ଟ, ୭୮ଟି ଦିନିକିଆ ଓ ୧୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ।
କୋଚ୍ ନିଯୁକ୍ତି ସହ ଓସିଏ ପକ୍ଷରୁ ଚୟନ କମିଟି ମଧ୍ୟ ଘୋଷଣା କରାଯାଇଛି । ଅମୀୟ ରାୟଙ୍କ ଅଧ୍ୟକ୍ଷତାରେ ଗଠିତ ବରିଷ୍ଠ ପୁରୁଷ ଚୟନ କମିଟିରେ ସୌରଜିତ ମହାପାତ୍ର ଓ ସୁବିତ ବିଶ୍ୱାଳ ସଦସ୍ୟ ଅଛନ୍ତି । କନିଷ୍ଠ ପୁରୁଷ ଦଳ ଚୟନ କମିଟିରେ ପ୍ରଭଞ୍ଜନ ମଲ୍ଲିକଙ୍କୁ ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି । ଏଥିରେ ସଦସ୍ୟ ଅଛନ୍ତି ନିରଞ୍ଜନ ବେହେରା ଓ ଶୁଭ୍ରଜିତ ସାହୁ । ସେହିପରି ରଶ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ମହିଳା ଦଳ ଚୟନ କମିଟି । ଏଥିରେ ସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ଗଙ୍ଗୋତ୍ରୀ ବେହେରା ଓ ସୁଧାଂଶୁବାଳ ସାହୁ ସଦସ୍ୟ ହୋଇଛନ୍ତି ।