ଓଡ଼ିଆ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର |
ଲୋକପ୍ରିୟ ଓଡ଼ିଆ ଡିଜେଙ୍କ ପରଲୋକ । ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ। ଭୁବନେଶ୍ୱର ସ୍ଥିତ ନିଜ ଘରେ ଆଜେକ୍ସ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖାରବେଳନଗର ସ୍ଥିତ ନିଜ ଘରେ ବେଡ଼ସିଟ୍ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା। କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲେ ପରିବାର ଲୋକେ। ଭଲ ଲାଗୁ ନାହିଁ ବୋଲି କହି ପ୍ରାୟ ୬ଟା ୫୦ରେ ସେ ତାଙ୍କ ରୁମ୍କୁ ଚାଲି ଯାଇଥିଲେ। ସେ ଶୋଇବାକୁ ଯାଉଛନ୍ତି ଓ କେହି ତାଙ୍କୁ ନ ଉଠାଇବାକୁ ସେ କହିଥିଲେ। ଏହା ଭିତରେ ଲାଇନ ଚାଲି ଯାଇଥିଲା। ଲାଇନ ଆସିବା ପରେ ରାତି ୧୦ଟା ବେଳକୁ ପରିବାର ଲୋକେ ତାଙ୍କୁ ଡାକ ପକାଇଥିଲେ। କିନ୍ତୁ ଡିଜେ ଆଜେକ୍ସ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ପରିବାର ଲୋକେ କବାଟ ବାଡ଼େଇବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇ ନଥିଲେ। ଏହା ପରେ ପରିବାର ଲୋକେ କବାଟ ଭାଙ୍ଗି ଭିତରେ ପଶିଥିଲେ। ଡିଜେ ଆଜେକ୍ସ ଏକ ବେଡ୍ଶିଟ୍ରେ ଝୁଲି ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଡିଜେ ଆଜେକ୍ସଙ୍କୁ ଏକ ଘରୋଇ ହସ୍ପିଟାଲ୍କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ମୃତ ଶରୀରକୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଯାଇଥିଲେ।
ଏହି ଘଟଣାରେ ଆଜି ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୨ରେ ଭୁବନେଶ୍ୱରରେ ଡିଜେ ଆଜେକ୍ସଙ୍କୁ ଆକ୍ରମଣ ହୋଇଥିଲା। ଝିଅ ମାମଲାକୁ ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ପୁଲିସ୍ ତଦନ୍ତ ପରେ ତାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି କୁହାଯାଉଛି।