ଏସିଆ କପକୁ ନେଇ ବିବାଦ ଥମିବାର ନାଁ ଧରୁନି।

ଏସିଆ କପକୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁନି। ପାକିସ୍ତାନ ଏସିଆ କପ ଆୟୋଜନର ଅଧିକାର ପାଇଥିବା ବେଳେ ଭାରତ ସେଠାକୁ ଯିବନି ବୋଲି ବିସିସିଆଇ କହି ସାରିଛି। ଏପରି ସ୍ଥିତିରେ ପାକିସ୍ତାନ ବଦଳରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସପକ୍ଷରେ ଏସିଆନ କ୍ରିକେଟ କାଉନସିଲ ରହିଛି। ଭାରତ ଜିଦ ଆଗରେ ଆଇସିସି ମଧ୍ୟ ମୁଣ୍ଡ ନୁଆଁଇବାକୁ ଯାଉଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନର ଭେଟରାନ କ୍ରିକେଟର ଜାଭେଦ ମିଆଁଦାଦ। ସେ ଆଇସିସି ଓ ଭାରତକୁ ଟାର୍ଗେଟ କରିଛନ୍ତି। ଏଥିସହ ଭାରତ ନର୍କକୁ ଚାଲି ଯାଉ ବୋଲି ସେ କହିଛନ୍ତି।

ସେ ଗୋଟିଏ ୟଟ୍ୟୁବ ଭିଡିଓରେ କହିଛନ୍ତି, “ମୁଁ ପୂର୍ବରୁ କହିଥିଲି ଓ ଏବେ ବି କହୁଛି, ସେମାନେ ଯଦି ଆସିବାକୁ ଚାହୁଁ ନାହାନ୍ତି, ତା’ହେଲେ ସେମାନେ ନ ଆସନ୍ତୁ। ଆମକୁ କୌଣସି ଫରକ ପଡ଼ିବନି। ଆମକୁ ଆମ କ୍ରିକେଟ ମିଳୁଛି।

ସବୁ କିଛି ଆଇସିସିର କାମ। ଯଦି ଆଇସିସି କିଛି କରିପାରୁନି, ତା’ହେଲେ ସେମିତି ସଂସ୍ଥାର କୌଣସି ଆବଶ୍ୟକ ନାହିଁ। ସବୁ ଦେଶ ପାଇଁ ଆଇସିସି ଗୋଟିଏ ନିୟମ କରିବା ଦରକାର। ଯଦି ନିୟମ ପରେ ବି ଗୋଟିଏ ଦେଶ ଆସିବାକୁ ମନା କରୁଛି, ତା’ହେଲେ ଆଇସିସି ସେଭିଳି ଟିମକୁ ବାହାର କରିଦେବା ଊଚିତ।”

ଭାରତ ପରାଜୟ ଭୟରେ ପାକିସ୍ତାନରେ ଖେଳିବାକୁ ଚାହୁଁନି ବୋଲି ମଧ୍ୟ ମିଆଁଦାଦ କହିଛନ୍ତି। ସେ କହିଛନ୍ତି, “ଆରେ ଆସି ଖେଳ। ଖେଳୁ ନ କ’ଣ ପାଇଁ? ଦୌଡ଼ି ପଳାଉଛ। ସେମାନେ ମ୍ୟାଚ୍‌ର ପରିଣାମ କଥା ଭାବି ଡରୁଛନ୍ତି। ଆମ ସମୟରେ ମଧ୍ୟ ଏହି କାରଣ ପାଇଁ ସେମାନେ ଖେଳୁ ନଥିଲେ। ସେମାନେ ହାରିବାକୁ ଡରୁଛନ୍ତି। ମ୍ୟାଚ୍‌ ହାରିଲେ, ସେମାନଙ୍କ ପାଇଁ ସମସ୍ୟା ହେବ। ସେଠାକାର ଲୋକ ବେଶ ଏଗ୍ରେସିଭ। ଭାରତ ଯାହା ଠାରୁ ହାରିଲେ ବି ଲୋକମାନେ ଖେଳାଳିଙ୍କ ଘରେ ନିଆଁ ଲଗାଇ ଦିଅନ୍ତି। ଖାସ ଏହି ଭୟରେ ସେମାନେ ଖେଳିବାକୁ ମନା କରୁଛନ୍ତି।”

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp