ଆମେରିକା ଯିବ ଗୋପାଳ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଉ କେଇଟା ଦିନ ପରେ ଏକ ମାସ ପୁରିଯିବ । ହେଲେ ମୃତ୍ୟୁ ଉପରୁ ଏଯାଏଁ ପରଦା ହଟିଲା ନାହିଁ। ସେପଟେ ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜନୈତିକ ମହଲରେ କାଦୁଅ ଫିଙ୍ଗା ଚାଲିଛି । ନବ ଦାସଙ୍କ ମୃତ୍ୟୁକୁ ନେଇ ବିଜେଡି ଉପରେ ସନ୍ଦେହ କରୁଛନ୍ତି ବିରୋଧୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜର ବିବୃତି ଉପସ୍ଥାପନା କରୁଥିବା ବେଳେ କହିଥିଲେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଏହି ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଆମେରିକା ସଂସ୍ଥା ଏଫବିଆଇର ସାହାଯ୍ୟ ନିଆଯିବ। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବିବୃତ୍ତି ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଉଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ଘଟଣାର ତଦନ୍ତ ସିବିଆଇ କୁ ନ ଦିଆଯାଇ କାହିଁକି ଆମେରିକା ସଂସ୍ଥାକୁ ଦିଆଯିବ ? ମୁଖ୍ୟମନ୍ତ୍ରୀଙ୍କର କଣ ସିବିଆଇ ତଦନ୍ତ ଉପରେ ଭରସା ନାହିଁ କି ? କ୍ରାଇମବ୍ରାଞ୍ଚ ଉପରେ ଭରଷା ପାଇଲା ହେଲେ ସିବିଆଇ ଉପରେ କାହିଁକି ଭରସା ଆସୁନି। ଆମେରିକା ସଂସ୍ଥା କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ପୂର୍ବରୁ ସିବିଆଇକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ଉଚିତ ଥିଲା । ମାତ୍ର କେଉଁ ସତ ସାମ୍ନାକୁ ଆସିବା ଭୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଭୁଆଁ ବୁଲାଇ ବୋଧ ଦେଉଛନ୍ତି ।
ରାଜ୍ୟର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ମୃତ୍ୟୁର ଅନେକ ଦିନ ପରେ ବି ମୃତ୍ୟୁ ଉପରୁ ପରଦା ନ ହଟିବା ଏକ ସାଙ୍ଘାତିକ ଲଜ୍ୟା ଜନକ ବିଷୟ । ମୃତ୍ୟୁର ଏକ ମାସ ଯାଏଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ମାତ୍ର ତଦନ୍ତ କେତେ ବାଟ ଗଲା ତାହା ଆଜି ପର୍ଯ୍ୟନ୍ତ ଜନସାଧାରଣ ଜାଣି ପାରିଲେ ନାହିଁ । ନବ ଦାସଙ୍କ ମୃତ୍ୟୁ ପଛରେ କେବଳ ଗୋପାଳ ଅଛି ନା ଆଉ କାହାର ହାତ ଅଛି ତାହା ନିକଟରେ କ୍ରାଇମବ୍ରାଞ୍ଚ ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ । ତେବେ ଏବେ କେବଳ ଦେଖିବାକୁ ବାକି ରହିଲା ନବ ଦାସଙ୍କ ମୃତ୍ୟୁ ଉପରୁ ବାସ୍ତବରେ କେବେ ପରଦା ହଟୁଛି । ନା କାଦୁଅ ଫିଙ୍ଗାଫିଙ୍ଗିରେ ଘଟଣା ଦିନକୁ ଦିନ ଚପି ଯାଇ ରହସ୍ୟ ରହସ୍ୟ ହୋଇ ରହିଯାଉଛି।